12/02/2026
~~~ପାଉଁଶରୁ ଆକାଶ ~~~
"ପ୍ରତ୍ୟେକ ଶେଷ ଏକ ନୂତନ ଆରମ୍ଭକୁ ଜନ୍ମ ଦିଏ।ପ୍ରତ୍ୟେକ ସୂର୍ଯ୍ୟାସ୍ତ ଏକ ନୂତନ ସୂର୍ଯ୍ୟୋଦୟର ପ୍ରତିଶ୍ରୁତି ବହନ କରେ। ଧ୍ୱଂସ ସୃଷ୍ଟିର ଶେଷ ନୁହେଁ, ବରଂ ଏକ ନୂତନ ସୃଷ୍ଟିର ଅୟମାରମ୍ଭ।ଆଉ ଧ୍ୱଂସ ପରେ ଯିଏ ନୂଆ ସୃଷ୍ଟି କରିପାରେ, ସେହି ହିଁ ପ୍ରକୃତ ମଣିଷ। ତେଣୁ ଯେକୌଣସି ପରିସ୍ଥିତିରେ ଭାଙ୍ଗି ନପଡ଼ି ନୂଆ ଗଢ଼ିବା ପାଇଁ ନିଜ ମନୋବଳକୁ ଦୃଢ଼ ରଖିବା ଉଚିତ।"
ମୁକ୍ତାପୁର ଗାଁର ଶେଷ ମୁଣ୍ଡରେ ହରିର ଘର। ସେ ଜଣେ କୁମ୍ଭାର। ମାଟି ସହିତ ତାର ସମ୍ପର୍କ ଜନ୍ମ ଜନ୍ମାନ୍ତରର। ମାଟିକୁ ଆଧାର କରି ହିଁ ତାର ସମସ୍ତ ସ୍ୱପ୍ନ। ମାଟିରେ ବିଭିନ୍ନ ହାଣ୍ଡି, କଳସୀ, ମାଠିଆ, ଫୁଲକୁଣ୍ଡ, ସରା, ଦୀପ, ମୂର୍ତ୍ତି ଓ କଣ୍ଢେଇ ଇତ୍ୟାଦି ତିଆରି କରି ସେ ପରିବାର ପ୍ରତିପୋଷଣ କରେ। ତା’ର ଚକ (ଯେଉଁଥିରେ ସେ ମାଟି ପାତ୍ର ଗଢ଼େ) ହେଉଛି ତାର ମୁଖ୍ୟ ଆୟୁଧ। ସେଥିପାଇଁ ସେ ଚକକୁ ଦେବତା ଭଳି ପୂଜା କରେ। ଚକ ବିନା କୁମ୍ଭାରର କଳା ଅସମ୍ପୂର୍ଣ୍ଣ। କୁମ୍ଭାର ପାଇଁ ଚକ କେବଳ ଏକ ଯନ୍ତ୍ର ନୁହେଁ, ବରଂ ତାର ବଂଶଗତ ପରିଚୟ ଏବଂ ଜୀବିକାର ମୁଖ୍ୟ ମାଧ୍ୟମ। ତେଣୁ ଚକକୁ ସେ ସବୁବେଳେ ସୁରକ୍ଷିତ ରଖିବାକୁ ଚାହେଁ।କିନ୍ତୁ ସେଦିନ ପ୍ରକୃତିର କୋପରେ ତାର ସବୁକିଛି ଭାଙ୍ଗି ଚୂରମାର ହୋଇଯାଇଥିଲା। ଏକ ପ୍ରଳୟଙ୍କରୀ ବାତ୍ୟାରେ କେବଳ ଯେ ତାର କୁଡ଼ିଆ ଘରଟା ଧୂଳିସାତ ହୋଇଯାଇଥିଲା ତାହା ନୁହେଁ, ତା’ର ସେହି ଅତି ଆପଣାର ଚକଟି ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ବାତ୍ୟା ରାତି ଭିତରେ ଦୁର୍ବଳ ହୋଇଯାଇଥିଲା ସତ, କିନ୍ତୁ ସେହି ରାତିରେ ଘଟିଥିବା ଧ୍ୱଂସଲୀଳା ମୁକ୍ତାପୁରବାସୀଙ୍କ ଜୀବନକୁ ଓଲଟପାଲଟ କରିଦେଇଥିଲା।
ବାତ୍ୟା ପରଦିନ ସକାଳେ ଭଙ୍ଗା ଘରର ଦୁଆରମୁହଁରେ ବସି ହରି ଶୂନ୍ୟକୁ ଚାହିଁ ଭାବୁଥିଲା—"ଏବେ କ’ଣ କରିବି? କେମିତି ମାଟିରେ ଜିନିଷ ଗଢ଼ିବି? ନହେଲେ ପିଲାଛୁଆ ଖାଇବେ କ’ଣ?" ତା’ ସ୍ତ୍ରୀ ମଧ୍ୟ କାନ୍ଦି କାନ୍ଦି କହିଲେ, "ସବୁ ତ ସରିଗଲା, ଏବେ ଆମେ ବଞ୍ଚିବା କେମିତି?"
ହରି କିଛି କହିଲାନି। ସେହି ସମୟରେ ତାର ଦୃଷ୍ଟି ବାହାରେ ଖେଳୁଥିବା ତାର ଛୋଟ ପୁଅ ଉପରେ ପଡ଼ିଲା। ସେ ଦେଖିଲା, ତାର ପୁଅ ସେହି ଭଙ୍ଗା ମାଟି ଗଦାରୁ କିଛି ଓଦା ମାଟି ଆଣି ଗୋଟିଏ ଛୋଟ ଖେଳନା ଗଢ଼ିବାକୁ ଚେଷ୍ଟା କରୁଛି। ସେହି ମୁହୂର୍ତ୍ତରେ ହରି ଏକ ଶିକ୍ଷା ପାଇଲା। ସେ ବୁଝିଲା ଯେ ମାଟି କେବେ ଭାଙ୍ଗେ ନାହିଁ, କେବଳ ତାର ରୂପ ବଦଳାଏ।
ହରି ପୁଣିଥରେ କାମରେ ଲାଗିଗଲା। ସେ ଭାଙ୍ଗିଯାଇଥିବା କାନ୍ଥର ଇଟାଗୁଡ଼ିକୁ ସାଉଁଟିଲା। ଯେଉଁ ଚକଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା, ତାକୁ ପୁଣି ଯୋଡ଼ିବା ପାଇଁ ଅଣ୍ଟା ଭିଡ଼ିଲା। ସାରା ଗାଁ ଲୋକ କହୁଥିଲେ, "ଏଇଟା ପୁଣି ଚାଲିବ କି?" ହରି କେବଳ ହସିଲା। ସପ୍ତାହେ ପରେ, ସେହି ଭଙ୍ଗା ଘର ଉପରେ ପୁଣି ଏକ ଛୋଟ ଚାଳିଆ ଠିଆ କଲା ଏବଂ ପୁରୁଣା ଚକଟିକୁ ବୁଲାଇଲା। ଏଥର ହରି ଯେଉଁ ହାଣ୍ଡି ଗଢ଼ିଲା, ତାହା ପୂର୍ବ ଅପେକ୍ଷା ଅଧିକ ମଜବୁତ ଥିଲା। କାରଣ ସେଥିରେ କେବଳ ମାଟି ନଥିଲା, ଥିଲା ତାର ପୂର୍ବପୁରୁଷଙ୍କ ସଂସ୍କାର ଏବଂ ତାର ନିଜର ଦୃଢ଼ ଇଚ୍ଛାଶକ୍ତି।
ଦିନେ ଜଣେ ସହରୀ ବାବୁ କୌଣସି କାମରେ ସେହି ଗାଁକୁ ଆସିଥିଲେ। ହରିର ସେହି ସୁନ୍ଦର କଳାକୃତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, "ତୁମର ଏହି ମାଟିର ଜିନିଷ ଗଢ଼ିବା ଶୈଳୀ ଅଦ୍ଭୁତ। ତୁମେ ଭାଙ୍ଗିଯାଇଥିବା ଜିନିଷରୁ ନୂଆ କିଛି ଗଢ଼ିବାର କଳା ଜାଣିଛ। ତୁମେ ଏହାକୁ ସହରକୁ ପଠାଅ, ସେଠାରେ ଏହାର ଭଲ ଆଦର ହେବ ଏବଂ ଚଢ଼ା ଦରରେ ବିକ୍ରି ହେବ।"
ହରି ସହରକୁ ଜିନିଷ ପଠାଇବା ଆରମ୍ଭ କଲା। ଧୀରେ ଧୀରେ ତାର ହାତତିଆରି ଜିନିଷ ସହରରେ ଖୁବ୍ ଲୋକପ୍ରିୟ ହେଲା ଏବଂ ସେ ଭଲ ଲାଭ ମଧ୍ୟ କଲା। ସେହି ଟଙ୍କାରେ ହରି ମାଟିର ବିଭିନ୍ନ ଉପକରଣ ତିଆରି ପାଇଁ ଗୋଟିଏ କାରଖାନା ବସାଇଲା। ସେଠାରେ ସେ ଗାଁର ସେହି ଲୋକମାନଙ୍କୁ କାମରେ ଲଗାଇଲା, ଯେଉଁମାନେ ବାତ୍ୟାରେ ସର୍ବସ୍ୱ ହରାଇଥିଲେ। ସେ ସେମାନଙ୍କୁ ଜୀବନ ବଞ୍ଚିବାର ନୂଆ ପରିଭାଷା ଶିଖାଇଲା।
ହରିର କାରଖାନା ଏବେ କେବଳ ମାଟି ପାତ୍ର ତିଆରି କରୁନଥିଲା, ସେଠାରେ ତିଆରି ହେଉଥିଲା 'ବିଶ୍ୱାସ'। ହରି ସେମାନଙ୍କୁ ଗୋଟିଏ କଥା ଶିଖାଉଥିଲା— "ଯଦି ମାଟି ନିଜର ଆକାର ହରାଇ ପୁଣି ଏକ ସୁନ୍ଦର କଳସ ହୋଇପାରୁଛି, ତେବେ ତୁମେ କାହିଁକି ନୁହେଁ?" ହରି ସଫଳତାର ଏକ ନୂଆ ପରିଭାଷା ଲେଖିଥିଲା। ଭଙ୍ଗା ଚକରୁ ପୋତା ହୋଇଥିବା ମଞ୍ଜିଟି ଦିନେ ଏକ ବିରାଟ ଦ୍ରୁମରେ ପରିଣତ ହୋଇଥିଲା।
ସହରରୁ ବଡ଼ ବଡ଼ ବ୍ୟବସାୟୀମାନେ ହରିର ଶିଳ୍ପକଳା ଦେଖିବାକୁ ଆସିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ହରି କେବଳ ନୂଆ ମାଟି ବ୍ୟବହାର କରୁନାହିଁ, ବରଂ ଭାଙ୍ଗିଯାଇଥିବା ପୁରୁଣା ମାଟି ପାତ୍ରର ଖଣ୍ଡଗୁଡ଼ିକୁ ଗୁଣ୍ଡ କରି ସେଥିରେ ନୂଆ ରୂପ ଦେଉଛି। ଏହାକୁ ସେ କହୁଥିଲା "ଅବଶେଷରୁ ନୂଆ ଜୀବନ"।
ହରିର ଫେକ୍ଟ୍ରି ତିଆରି ମାଟି ପାତ୍ରର ସୁନାମ ଦେଶ ବିଦେଶକୁ ବ୍ୟାପିଗଲା। ଦିନେ ଏକ ବିଦେଶୀ କମ୍ପାନୀର କର୍ମକର୍ତ୍ତାମାନେ ହରିର ଫେକ୍ଟ୍ରି ବୁଲିବାକୁ ଆସିଲେ। ସେମାନେ ହରିକୁ କହିଲେ, "ତୁମେ ଆମ ପାଇଁ କାମ କର, ଆମେ ତୁମକୁ ଯଥେଷ୍ଟ ଟଙ୍କା ଦେବୁ।" କିନ୍ତୁ ହରି ବିନମ୍ରତାର ସହ ସେମାନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଲା। ସେ କହିଲା— "ମୋର ଲକ୍ଷ୍ୟ କେବଳ ଟଙ୍କା ରୋଜଗାର କରିବା ନୁହେଁ। ମୋର ଲକ୍ଷ୍ୟ ହେଉଛି ଭାଙ୍ଗିପଡ଼ିଥିବା ହାତଗୁଡ଼ିକୁ ଶକ୍ତି ଦେବା। ଏହି ଚକ ମୋତେ ଶିଖାଇଛି ଯେ, ଗତିଶୀଳତା ହିଁ ଜୀବନ।"
ଆଜି ହରିର ସେହି ଛୋଟ ଗାଁଟି ଏକ ବଡ଼ 'କଳା ଗ୍ରାମ' (ଆର୍ଟ ଭିଲେଜ) ରେ ପରିଣତ ହୋଇଛି। ହରି ଏବେ ବି ମଝିରେ ମଝିରେ ବାତ୍ୟାରେ ଭାଙ୍ଗି ଯାଇଥିବା ସେହି ପୁରୁଣା ଚକଟି ପାଖରେ ବସେ। ସେ ଜାଣେ, ସଫଳତା ମାନେ କେବଳ ଆକାଶଛୁଆଁ ପ୍ରାସାଦ ନୁହେଁ; ସଫଳତା ମାନେ ହେଉଛି ନିଜେ ଗଢ଼ିଥିବା ସ୍ୱପ୍ନ ଯଦି ଭାଙ୍ଗିଯାଏ, ତେବେ ତାକୁ ପୁଣି ହସି ହସି ଗଢ଼ିବାର ସାହସ ରଖିବା।
ତେଣୁ ହରି ନିଜ ଜୀବନର ଅନୁଭୂତିରୁ ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ତାର କାରଖାନାର ମୁଖ୍ୟ ଦ୍ୱାରରେ ଗୋଟିଏ ଧାଡ଼ି ଲେଖିଛି:
"ଭାଙ୍ଗିବା ତ ଏକ ସନ୍ଧିକ୍ଷଣ, ଗଢ଼ିବାଟା ହିଁ ପ୍ରକୃତ ସଂସ୍କାର।"