28/08/2026
*ସଂରକ୍ଷଣ କେଉଁଠାରେ ଅଛି ?*
ଅଭିରାମ ମଲ୍ଲିକ
_________________________________________
ସଂରକ୍ଷଣକୁ ନେଇ ଏବେ ଦେଶ ତମାମ ତର୍କ ବିତର୍କ ଚାଲିଛି । ମୁଖ୍ୟ ଧାରାର ପ୍ରଚାର ମାଧ୍ୟମ ଛାଡ଼ନ୍ତୁ, ସୋସିଆଲ ମିଡ଼ିଆରେ ବି ଅନବରତ ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚାରେ ଗୋଟିଏ ପକ୍ଷ ସଂରକ୍ଷଣକୁ ବିରୋଧ କରି ନିଜର ପକ୍ଷ ରଖୁଥିବା ବେଳେ, ଅନ୍ୟ ଏକ ପକ୍ଷ ସଂରକ୍ଷଣର ଯଥାର୍ଥତା, ସାମାଜିକ ଅସମାନତା ତଥା ଗଣତନ୍ତ୍ରର ଚାରୋଟି ସ୍ତମ୍ଭ - ଶାସନ, ପ୍ରଶାସନ, ବିଚାରାଳୟ ଓ ଗଣମାଧ୍ୟମରେ ସାମାଜିକ ପ୍ରତିନିଧିତ୍ୱର ଚିତ୍ରକୁ ସମ୍ମୁଖକୁ ଆଣି ସଂରକ୍ଷଣ ସପକ୍ଷରେ ତଥା ବ୍ରାହ୍ମଣବାଦର କୁପରିଣାମ ଉପରେ ପ୍ରହାର କରୁଛନ୍ତି ।
ଏସବୁ ତର୍କ ବିତର୍କ ଶୁଣିବା ପରେ ମନେହୁଏ ଯେପରି କୌଣସି ତଥ୍ୟ, କୌଣସି ସତ୍ୟ, କୌଣସି ବାସ୍ତବତା ବିନା ବର୍ଣ୍ଣହିନ୍ଦୁମାନେ ସଂରକ୍ଷଣକୁ ବିରୋଧ କରୁଛନ୍ତି । ଶହ ଶହ ବର୍ଷ ଧରି ନିର୍ଯାତିତ, ଅଧିକାର ବଞ୍ଚିତ ଜନସମୂହକୁ ମୁଖ୍ୟଧାରାକୁ ଆଣିବାକୁ ତଥା ସେମାନଙ୍କର ପ୍ରତିନିଧିତ୍ୱକୁ ନିଶ୍ଚିତ କରିବାକୁ ସଂରକ୍ଷଣ ପ୍ରଦାନ କରାଯାଇଥିଲା । ମାତ୍ର ଏହାକୁ ନେଇ ସେହି ସଂରକ୍ଷିତ ବର୍ଗଙ୍କୁ ସର୍ବଦା ଅପମାନିତ କରାଯାଉଛି, ନିନ୍ଦିତ କରାଯାଉଛି ତଥା ସେମାନଙ୍କ ପ୍ରତି ଅତି ହେୟ ମନୋଭାବ ପୋଷଣ କରାଯାଉଛି । ଯେଉଁ ସଂରକ୍ଷଣକୁ ନେଇ ଏତେ ହୋହାଲ୍ଲା, ସେହି ସଂରକ୍ଷଣ କେଉଁଠାରେ ଅଛି ? ବାସ୍ତବରେ ସଂରକ୍ଷିତବର୍ଗ ପ୍ରତ୍ୟେକ କ୍ଷେତ୍ରରେ ଏହି ସଂରକ୍ଷଣର ଫାଇଦା ପାଇ ନିଜର ପ୍ରତିନିଧିତ୍ୱକୁ ନିଶ୍ଚିତ କରିପାରୁଛନ୍ତି ନା ନାହିଁ ? ଯଦି ନୁହେଁ,ତେବେ କାହିଁକି ଏତେ ଗଳାଫଟା ଚିତ୍କାର ?
ଆମ ରାଜ୍ୟ କଥା ଦେଖିଲେ ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଅନୁସୂଚିତବର୍ଗ । ମାତ୍ର ବାସ୍ତବତା ଏହାଠାରୁ ଭିନ୍ନ । ଅନୁସୂଚିତବର୍ଗ ଓ ଜନଜାତିଙ୍କ ମଧ୍ୟରେ ଏପରି ଅନେକ ଜାତି ଅଛନ୍ତି ଯେଉଁମାନଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି, ଯେପରି ମେହେନ୍ତର, କୋଦମା ଓ ଶବର, ଖଡ଼ିଆ ଆଦି । ଏମାନଙ୍କ ଜନସଂଖ୍ୟା ମିଶାଇଲେ ଅନୁସୂଚିତବର୍ଗର ସଂଖ୍ୟା ୪୪ ପ୍ରତିଶତରୁ ଊର୍ଦ୍ଧ୍ୱ ହେବ ।
ଏହି ୪୪ ପ୍ରତିଶତ ଜନତାଙ୍କ ପାଇଁ ରାଜ୍ୟର ଭୂସମ୍ପଦରେ ସଂରକ୍ଷଣ ଅଛି କି? ନାହିଁ। ରାଜ୍ୟର ୨୦ ଲକ୍ଷ ପରିବାର ନିକଟରେ ଘରଡିହ ଖଣ୍ଡିଏ ମଧ୍ୟ ନାହିଁ। ଏହି ୨୦ ଲକ୍ଷ ପରିବାର ମଧ୍ୟରୁ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ହେଉଛନ୍ତି ଅନୁସୂଚିତ ବର୍ଗର। ପୁନଶ୍ଚ ରାଜ୍ୟର ୫୦ ଲକ୍ଷ ପରିବାର ନିକଟରେ ଚାଷଜମି ଖଣ୍ଡିଏ ନାହିଁ। ଏହି ପରିବାର ମଧ୍ୟରେ ୮୫ ପ୍ରତିଶତ ହେଉଛନ୍ତି ଅନୁସୂଚିତ ବର୍ଗର। ତେଣୁ ମୂଳନିବାସୀ ଅନୁସୂଚିତ ବର୍ଗଙ୍କ ପାଇଁ ରାଜ୍ୟ ତଥା ଦେଶର ଭୂସମ୍ପଦରେ ମଧ୍ୟ ଜନସଂଖ୍ୟାନୁପାତରେ ସଂରକ୍ଷଣ ରହିବା ଉଚିତ୍, ଯାହା ଆଜି ନାହିଁ।
ଦେଶ ବା ରାଜ୍ୟର ଜଳସମ୍ପଦ ଉପରେ ଏହି ବର୍ଗ ପାଇଁ ସଂରକ୍ଷଣ ଅଛି କି? ନାହିଁ। କାରଣ ଜଳସମ୍ପଦର ବ୍ୟବହାର ଅନେକ ଗୁଡ଼ିଏ ଦିଗରେ ହୋଇଥାଏ। ପ୍ରଥମତଃ ପାନୀୟ ନିମନ୍ତେ, ଦ୍ୱିତୀୟତଃ ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ, ତୃତୀୟତଃ କୃଷିକାର୍ଯ୍ୟ ନିମନ୍ତେ ଏବଂ ଶିଳ୍ପ ନିମନ୍ତେ ତଥା ପୁନଶ୍ଚ ତାପଜ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ। ଏସବୁ ଦୃଷ୍ଟିରୁ ଦେଖିଲେ ସମଗ୍ର ଜଳସମ୍ପଦର ୯୮ ପ୍ରତିଶତ ବ୍ୟବହୃତ ହେଉଛି ଅଣଅନୁସୂଚିତ ବର୍ଗଙ୍କ ପାଇଁ। ଫଳତଃ ଜଳସମ୍ପଦ ଉପରେ ବି ଏହି ବର୍ଗଙ୍କ ନିମନ୍ତେ ଆନୁପାତିକ ସଂରକ୍ଷଣ ରହିବା ଉଚିତ୍, ଯାହା ଆଜି ନାହିଁ।
ତୃତୀୟତଃ ଜଙ୍ଗଲ ସମ୍ପଦ। ଏହି ଜଙ୍ଗଲ ସମ୍ପଦ ବା ଜଙ୍ଗଲଜାତ ସମ୍ପଦରେ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ଅଛି କି? ନାହିଁ। କାରଣ ଜଙ୍ଗଲ ସମ୍ପଦର ଅଧିକାରୀ ହେଉଛନ୍ତି ସରକାର। ଆଉ ଏହି ସରକାର ଚାଲିଛି ବର୍ଣ୍ଣହିନ୍ଦୁମାନଙ୍କ ନେତୃତ୍ୱରେ। ଏହିମାନେ ହିଁ ଚୋରା ବେପାରୀ, ଏହିମାନେ ହିଁ ଠିକାଦାର। ଏହିମାନେ ହିଁ ଜଙ୍ଗଲ ମାଫିଆ। ଏମାନଙ୍କ ମିଳିତ ଗୋଷ୍ଠୀ ସମସ୍ତ ଜଙ୍ଗଲ ସମ୍ପଦକୁ ଲୁଟ୍ କରି ନିଜର ସ୍ୱାର୍ଥ ସାଧନ କରୁଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲ ସମ୍ପଦ ଧ୍ୱଂସ ହେବାଦ୍ୱାରା ପରିବେଶ ମଧ୍ୟ ନିଜର ଭାରସାମ୍ୟ ହରାଇ ଚାଲିଛି, ଯାହା ମାନବ ସମାଜ ପାଇଁ ବିପଦ।
ଅପରପକ୍ଷେ, ଯେଉଁ ଜଙ୍ଗଲରେ ଅନୁସୂଚିତ ଜନଜାତିମାନେ ଅଛନ୍ତି, ସେହି ଜଙ୍ଗଲ ଅନ୍ୟ ଜଙ୍ଗଲଠାରୁ ଅଧିକ ସୁରକ୍ଷିତ। ସରକାରୀ ସଂସ୍ଥାର ସର୍ଭେ ରିପୋର୍ଟ ଏକଥା କହୁଥିବାବେଳେ, ଏମାନେ ସେହି ନିରୀହ ଆଦିବାସୀ ଭାଇଭଉଣୀଙ୍କ ଉପରେ ଦୋଷ ଲଦି ନିଜର କୁକର୍ମକୁ ଲୁଚାଇବାକୁ ଅପ ପ୍ରୟାସ କରୁଛନ୍ତି। ତେଣୁ ଦେଶରେ ସମସ୍ତ ଜଙ୍ଗଲ ସମ୍ପଦ ଉପରେ ଏହିବର୍ଗ ନିମନ୍ତେ ଆନୁପାତିକ ସଂରକ୍ଷଣ ବା ଅଧିକାର ରହିବା ନିହାତି ଦରକାର, ଯାହା ଆଜି ନାହିଁ।
ଏବେ ଆସିବା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରକୁ, ତାହା ହେଉଛି ଖଣିଜ ସମ୍ପଦ। ଏହି ଖଣିଜ ସମ୍ପଦ ଉପରେ ଅନୁସୂଚିତ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ଅଛି କି? ନାହିଁ। ହଜାର ହଜାର ବର୍ଷ ଧରି ସେଠାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନେ ସେହି ସମ୍ପଦର ହେଉଛନ୍ତି ପ୍ରକୃତ ମାଲିକ। ଏପରିକି ସମ୍ବିଧାନ ମଧ୍ୟ ସେମାନଙ୍କୁ ଏହି ଅଧିକାର ପ୍ରଦାନ କରିଛି। ମାତ୍ର ମନୁବାଦୀ ବ୍ୟବସ୍ଥା ସେମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରିଛି। କେବଳ ଏତିକିରେ ସେମାନଙ୍କର ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ। ଖଣିଜ ସମ୍ପଦ ଉତ୍ପାଦନ ହେବ,ଏଥିପାଇଁ ଖଣି ଖୋଳିଵାକୁ ପଡିବ ଏବଂ ସେ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ବର୍ଗର ଲୋକମାନଙ୍କୁ ସେଠାରୁ ବିତାଡ଼ିତ କରାଯିବ। ଏପରିକି ସେହି ଖଣିରେ ସେମାନଙ୍କର ଶ୍ରମିକ ମଧ୍ୟ ହେବାକୁ ସୁଯୋଗ ନାହିଁ।
ପୁନଶ୍ଚ ରାଜ୍ୟର ହିତ ପାଇଁ ମାଟି ତଳୁ ଖଣିଜ ସମ୍ପଦ ଉତ୍ତୋଳନ କରା ହେଉଛି ବୋଲି କହୁଥିବା ବର୍ଣ୍ଣ ହିନ୍ଦୁମାନେ ତାହାକୁ କେବଳ ଆପଣା ହିତରେ ଲଗାଉଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଖୁବ କମ୍ ମୂଲ୍ୟରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଲିଜ୍ ନେଇ ନିର୍ଦ୍ଧାରିତ ପରିମାଣର ଖଣିଜ ସମ୍ପଦର କେତେ ହଜାରଗୁଣା, ନିର୍ଦ୍ଧାରିତ ଅଞ୍ଚଳ ଠାରୁ ଶହ ଶହ ଏକର ଅଧିକ ତଥା ଗ୍ରହଣ କରି ଏହାର ଅଧିକ ତଥା ନିର୍ଦ୍ଦିଷ୍ଟ ସମୟ ଠାରୁ ଢେର୍ ଅଧିକ ସମୟ ପର୍ଯ୍ୟନ୍ତ ଏମାନେ ବେଧଡକ ଖଣିଜସମ୍ପଦକୁ ଲୁଟ୍ କରିଚାଲନ୍ତି। ବ୍ୟକ୍ତିଗତ ସ୍ୱାର୍ଥପାଇଁ ରାଷ୍ଟ୍ରୀୟ ସମ୍ପତ୍ତିକୁ ଲୁଟ୍ କରିବା ଅର୍ଥ ରାଷ୍ଟ୍ରଦ୍ରୋହ ଅଟେ। ରାଷ୍ଟ୍ରଦ୍ରୋହ ତ ଦୂରର କଥା। ସାଧାରଣ ଚୋରି ମାମଲାଟିଏ ମଧ୍ୟ ଏମାନଙ୍କ ବିରୋଧରେ ରୁଜୁ ହୁଏନାହିଁ। ତେଣୁ ସମସ୍ତ ଖଣିଜ ସମ୍ପଦ ଉପରେ ଅନୁସୂଚିତ ବର୍ଗଙ୍କ ନିମନ୍ତେ ଆନୁପାତିକ ଅଧିକାର ରହିବା ବାଞ୍ଛନୀୟ।ମାତ୍ର ଖଣି ଲୁଟ୍ କରି ନିଜ ସ୍ୱାର୍ଥସାଧନ କରୁଥିବା ଏହି ବର୍ଣ୍ଣ ହିନ୍ଦୁମାନେ ଏ କ୍ଷେତ୍ରରେ ସଂରକ୍ଷିତ ବର୍ଗଙ୍କ ପାଇଁ ଆନୁପାତିକ ସଂରକ୍ଷଣକୁ ଦାବି ବିରୋଧ କରୁଛନ୍ତି।
ସ୍ୱକଥିତ ପ୍ରତିଭାଧାରୀ ବର୍ଣ୍ଣହିନ୍ଦୁମାନଙ୍କ ପ୍ରତିଭାର ବାସ୍ତବରେ ପଟ୍ଟାନ୍ତର ନାହିଁ। ଦେଶର ଯେତେ ସରକାରୀ ଉଦ୍ୟୋଗ ରହିଛି, ତାହାର ପରିଚାଳନା ମଣ୍ଡଳୀ, ଯେପରି ମ୍ୟାନେଜର, ଏମ୍.ଡି., ସି.ଏମ୍.ଡି. ହେଉଛନ୍ତି ଏହି ବର୍ଗର। ଏମାନଙ୍କ ଯୋଗ୍ୟତା ଏତେ ପ୍ରସ୍ପୁଟିତ ହେଲା ଯେ ପ୍ରାୟ ସମସ୍ତ ସରକାରୀ ଉଦ୍ୟୋଗଗୁଡ଼ିକ ରୁଗ୍ଣ ହୋଇଗଲା ଅବା ଦେବାଳିଆ ହୋଇଗଲା। ଏହି ଋଗଣତା ଓ ଦେବାଳିଆ ହେବା ପଛର କାରଣ କ’ଣ? ଏହା କ’ଣ ଏମାନଙ୍କ ପ୍ରତିଭାର ନମୁନା? ଏମାନେ ନିଜର ସୁବିଧାପାଇଁ ତଥା ଅନୁସୂଚିତ ବର୍ଗକୁ ରାଷ୍ଟ୍ରୀୟ ସମ୍ପତ୍ତିରୁ ବେଦଖଲ କରିବାପାଇଁ ଯେଉଁ ଭୟାନକ ଷଡ଼ଯନ୍ତ୍ର ରଚିଛନ୍ତି, ସେହି ଷଡ଼ଯନ୍ତ୍ରର ଅଂଶ ସ୍ୱରୂପ ଏପରି ତ୍ରୁଟିପୂର୍ଣ୍ଣ ପରିଚାଳନା କରୁଛନ୍ତି, ଯଦ୍ୱାରା ଏହି ସରକାରୀ ଉଦ୍ୟୋଗଗୁଡ଼ିକ ରୁଗ୍ଣ ହେଉଛି, ଅବା ଦେବାଳିଆ ହୋଇଯାଉଛି। ପୁନଶ୍ଚ ଚକ୍ରାନ୍ତକାରୀମାନେ ରାଷ୍ଟ୍ରୀୟ ସମ୍ପତ୍ତିକୁ ଶାଗମାଛ ଦରରେ ନିଜର ବିରାଦରୀଙ୍କ ହାତରେ ଟେକି ଦେଇ ନିଜ ଜାତି ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ସଫଳ ହେଉଛନ୍ତି। ଏମାନେ ପୁଣି ଏହି ରୁଗ୍ଣ ଉଦ୍ୟୋଗକୁ ଦେଖାଇ ସରକାରଙ୍କ ନିକଟରୁ ଋଣ (ସାଧାରଣ ଜନତାଙ୍କ ଅର୍ଥ) ନେଇ କାର୍ଯ୍ୟ କରୁଛନ୍ତି। ଏହି ଉଦ୍ୟୋଗ ଗୁଡ଼ିକରେ ସଂରକ୍ଷଣ ଅଛି କି? ନାହିଁ।
ଆଜିକାଲି ପ୍ରାୟତଃ ଘରୋଇ ଭାବରେ ସମସ୍ତ ଉଦ୍ୟୋଗ ଗଢ଼ିଉଠୁଛି ବା ସମସ୍ତ ସରକାରୀ ଉଦ୍ୟୋଗ ଗୁଡ଼ିକୁ ଘରୋଇ ମାଲିକାନାକୁ ହସ୍ତାନ୍ତରିତ କରାଯାଉଛି। ଏହି ଘରୋଇ କ୍ଷେତ୍ରରେ ସଂରକ୍ଷଣ ଅଛି କି? ନାହିଁ। କେଉଁଠାରେ ମନ୍ଦିରର ପୂଜକ ସ୍ଥାନ ବା ପରିଚାଳନା ମଣ୍ଡଳୀରେ ମଧ୍ୟ ସଂରକ୍ଷଣ ଅଛି କି? ନାହିଁ। ଅର୍ଥାତ୍ ମନ୍ଦିରରେ ଥିବା ଅମାପ ଧନସମ୍ପତ୍ତିର ପରିଚାଳନାରେ ଅନୁସୂଚିତ ବର୍ଗଙ୍କ ନିମନ୍ତେ ବି ସଂରକ୍ଷଣ ନାହିଁ।
ବିଚାର ବିଭାଗରେ ସଂରକ୍ଷଣ ଅଛି କି? ନାହିଁ। କାରଣ ଉଚ୍ଚନ୍ୟାୟାଳୟରେ ୧୦ ଓକିଲାତି କରିଥିବା ଅଧିବକ୍ତାଙ୍କୁ ବିଚାରପତି ଭାବରେ ମନୋନୀତ କରାଯାଇପାରିବାର ବ୍ୟବସ୍ଥା ରହିଛି। ଏହି ମନୋନୟନ ପଦ୍ଧତି( Collegium)ବିଷୟରେ ଆଲୋଚନା ନକରିବା ବରଂ ଭଲ। ଜଜ୍ ମାନେ ନିଜ ପରିବାର, ନିଜ ଜାତି ବନ୍ଧୁ ବିରାଦରି ମାନଙ୍କୁ ଉଚ୍ଚ ନ୍ୟାୟାଳୟର ଜଜ୍ ଭାବରେ ମନୋନୀତ କରନ୍ତି।ଥରେ ହାଇକୋର୍ଟର ବିଚାରପତି ହୋଇଗଲାପରେ ମଧ୍ୟ ସେହି କଲେଜିଅମ୍ ପଦ୍ଧତିରେ ସେମାନେ ସୁପ୍ରିମକୋର୍ଟର ବିଚାରପତି ପଦବୀ ମଧ୍ୟ ହାତେଇଥାନ୍ତି। ଅର୍ଥାତ୍ ନ୍ୟାୟପାଳିକାରେ ସଂରକ୍ଷଣ ବ୍ୟବସ୍ଥା ନାହିଁ। ମାତ୍ର ନ୍ୟାୟପାଳିକାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନେକ ଦିନରୁ ଦୃଢ଼ଦାବି ହୋଇ ଆସୁଅଛି।ଏପରିକି ଦେଶର ପୂର୍ବତନ ରାଷ୍ଟ୍ରପତି କେ. ଆର୍. ନାରାୟଣନ ମଧ୍ୟ ନ୍ୟାୟାଳୟରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମତ ପ୍ରଦାନ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ ତାହା ସମ୍ଭବ ହୋଇନାହିଁ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ମିଡ଼ିଆରେ ସଂରକ୍ଷଣ ଅଛିକି? ନାହିଁ। ଉଭୟ ପ୍ରିଣ୍ଟ ମିଡ଼ିଆ ଅବା ଇଲେକ୍ଟ୍ରୋନିକ୍ ମିଡ଼ିଆ କ୍ଷେତ୍ରରେ ଅନୁସୂଚିତ ବର୍ଗଙ୍କ ସ୍ଥିତି ନାମକୁ ମାତ୍ର। କାରଣ ଏହି ମିଡ଼ିଆର ଚରିତ୍ର ହେଉଛି ବ୍ରାହ୍ମଣବାଦୀ।ସେଥିପାଇଁ ଆମେ ଏହାକୁ ସାର୍ବଜନୀନ ମିଡ଼ିଆ ନକହି, କହୁଛୁ ଏହା ହେଉଛି ‘ବ୍ରାହ୍ମଣ ବଣିଆ ପ୍ରଚାର ମାଧ୍ୟମ’। ମାଲିକ ଜୈନ ବଣିଆ ଆଉ ସଂପାଦକ, ବାର୍ତ୍ତା ସଂପାଦକ, ସମ୍ବାଦ ଦାତା ଆଦି ହେଇଛନ୍ତି ବ୍ରାହ୍ମଣ। ଏମାନେ ଅନୁସୂଚିତ ବର୍ଗଙ୍କୁ ଏ କ୍ଷେତ୍ରରେ ସ୍ଥାନ ଦେବାକୁ ଚାହାନ୍ତି ନାହିଁ। କେବଳ ସର୍ବଦା ନିଜ ଜାତିର ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରନ୍ତି।
ଯଦିଓ ଆମେରିକାରେ ଏକ ସର୍ଭେରୁ ଜଣାପଡ଼ିଲା ଯେ ଦେଶର ମିଡ଼ିଆ କ୍ଷେତ୍ରରେ ଅଶ୍ୱେତମାନଙ୍କ ସଂଖ୍ୟା ଦୁଇ ପ୍ରତିଶତରୁ କମ୍, ଏହାପରେ ସମସ୍ତ ମିଡ଼ିଆର ମାଲିକମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଗଲା ଏବଂ ୫/୬ ବର୍ଷ ପରେ ଦେଖାଗଲା ଯେ ମିଡ଼ିଆ କ୍ଷେତ୍ରରେ ଅଶ୍ୱେତମାନଙ୍କ ପ୍ରତିନିଧିତ୍ୱ ୮ ରୁ ୧୦ ପ୍ରତିଶତରେ ପହଞ୍ଚିଯାଇଛି। ଆମ ଦେଶରେ ବି ଏପରି ବ୍ୟବସ୍ଥା ହେବା ଦରକାର। ମାତ୍ର ଆଜିପର୍ଯ୍ୟନ୍ତ ଏହି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ନାହିଁ।
ସଂରକ୍ଷଣ ଠିକାଦାରୀରେ ରହିଛି କି? ନାହିଁ। ସଂରକ୍ଷଣ ଗାଡ଼ି ମୋଟରରେ ରହିଛି କି? ନାହିଁ। ସଂରକ୍ଷଣ ଅଛି କେଉଁଠି?
ଜଳ, ଜମି, ଜଙ୍ଗଲ ସଂପଦରେ ସଂରକ୍ଷଣ ନାହିଁ। ଖଣିଜ ସଂପଦରେ ସଂରକ୍ଷଣ ନାହିଁ। କଳ-କାରଖାନାରେ ସଂରକ୍ଷଣ ନାହିଁ। ଘରୋଇ ଉଦ୍ୟୋଗରେ ସଂରକ୍ଷଣ ନାହିଁ। ନ୍ୟାୟପାଳିକାରେ ସଂରକ୍ଷଣ ନାହିଁ। ପ୍ରିଣ୍ଟ ମିଡ଼ିଆରେ ସଂରକ୍ଷଣ ନାହିଁ, ଇଲେକ୍ଟ୍ରୋନିକ୍ ମିଡ଼ିଆରେ ସଂରକ୍ଷଣ ନାହିଁ। ଠିକାଦାରୀରେ ସଂରକ୍ଷଣ ନାହିଁ। ରେଲୱେରେ ସଂରକ୍ଷଣ ନାହିଁ। ଉଡ଼ାଜାହାଜରେ ସଂରକ୍ଷଣ ନାହିଁ। ପରିବହନରେ ବି ସଂରକ୍ଷଣ ନାହିଁ। ବ୍ୟାଙ୍କ ଋଣରେ ସଂରକ୍ଷଣ ନାହିଁ। ତେବେ ସଂରକ୍ଷଣ ଅଛି କେଉଁଠ?
କେବଳ ସରକାରୀ ଅନୁଷ୍ଠାନରେ ପାଠପଢ଼ା, ସରକାରୀ ଚାକିରି ଓ ରାଜନୀତି ଭଳି ତିନିଗୋଟି ସେକ୍ଟରରେ ଅନୁସୂଚିତ ବର୍ଗଙ୍କପାଇଁ ସଂରକ୍ଷଣ ରହିଛି। ଦେଶର ଏକ ଚତୁର୍ଥାଂଶ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ବର୍ଗ ଆଜିପର୍ଯ୍ୟନ୍ତ ଚାକିରି କ୍ଷେତ୍ରରେ ପାଇଛି ୧୦ ପ୍ରତିଶତ। ଆମ ରାଜ୍ୟର ସ୍ଥିତି ତ ଆହୁରି ନ୍ୟୂନତର। ଓଡ଼ିଶା ସରକାରୀ ହିସାବରେ ଏମାନଙ୍କ ସଂଖ୍ୟା ହେଉଛି ୪୦ ପ୍ରତିଶତରୁ ଉର୍ଦ୍ଧ୍ବ। ମାତ୍ର ଏହି ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣ ରହିଛି ୩୮.୭୫%। କିନ୍ତୁ ଆଜିପର୍ଯ୍ୟନ୍ତ ଏଥିରୁ ପୂରଣ ହୋଇଛି ମାତ୍ର ୧୪ ଶତକଡ଼ା। ଚାକିରିରେ ୩୮.୭୫ ଥିଲେ ମଧ୍ୟ ପାଠପଢ଼ାରେ ଏମାନଙ୍କ ପାଇଁ ସଂରକ୍ଷିତ ଅଛି ମାତ୍ର ୨୦ ପ୍ରତିଶତ। ଏହାକୁ ନେଇ ଏତେ ତୁମ୍ଭିତୋଫାନ। ଏହାକୁ ନେଇ ଏତେ ଚର୍ଚ୍ଚା-ଆଲୋଚନା ତଥା ସମାଲୋଚନା।
ଦ୍ବିତୀୟତଃ ଆଜି କେଉଁ ବର୍ଗ ସଂରକ୍ଷଣ ପାଉନାହାନ୍ତି? SC ପାଉଛନ୍ତି,ST ପାଉଛନ୍ତି,OBC ପାଉଛନ୍ତି,MBC ପାଉଛନ୍ତି, ମହିଳା ପାଉଛନ୍ତି ଏପରିକି ସଂରକ୍ଷଣ କୁ ବିରୋଧ କରୁଥିବା ତଥାକଥିତ ସାଧାରଣ ବର୍ଗ ମଧ୍ୟ ସୁଦାମା କୋଟା ( EWS) ମାଧ୍ୟମରେ ସଂରକ୍ଷଣ ପାଉଛି।
ତେଣୁ ବହୁଜନ ବର୍ଗର ଆନ୍ଦୋଳନ ଏବେ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥାତ୍ ଘରୋଇ କ୍ଷେତ୍ରରେ, ଜଳ, ଜମି, ଜଙ୍ଗଲ, ଶିକ୍ଷା ଶାସନ ସମ୍ପତ୍ତି ଆଦିରେ ନିଜର ଭାଗ ହାସଲ ପାଇଁ ଆନ୍ଦୋଳନ ହବ।