26/07/2023
ଅନୁଗୋଳ ଜିଲ୍ଲା ତଥା ବିଶେଷ ଭାବରେ ତାଳଚେରକୁ ଶ୍ରୀହୀନ କରିବା ପାଇଁ ତାଳଚେର ବିଧାୟକ ସୁପରିକଳ୍ପିତ ଯୋଜନା କରିଛନ୍ତି । ନାଲକୋ ଦ୍ୱାରା ତାଳଚେର ଅଞ୍ଚଳର ପାଇପଲାଇନ କାର୍ଯ୍ୟକୁ ଜାଣିଶୁଣି ବନ୍ଦ କରାଯାଇ ସେଠାରେ ଯେପରି ଭାବରେ ଅରାଜକତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି, ତାହା ଦୁର୍ଭାଗ୍ୟଜନକ ।
ଏହି ଷଡଯନ୍ତ୍ର କାରଣରୁ ନାଲକୋ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବା ସିପିପି ପ୍ଲାଣ୍ଟରୁ ଲିନସ୍ଲରୀ ପ୍ରକଳ୍ପରେ ପାଉଁଶ ନିଷ୍କାସନ ହୋଇପାରୁନାହିଁ । ଏହି ଆନ୍ଦୋଳନ କାରଣରୁ ସିପିପିର 3ଟି ୟୁନିଟ୍ ବନ୍ଦ ହୋଇଯାଇଛି । ଏହି କାରଣରୁ ଉତ୍ପାଦନର ମାନ ହ୍ରାସ ପାଇବା ସହ ଗୁଣାତ୍ମକ ମାନ ଦୁର୍ବଳ ହୋଇଛି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତି ଉପରେ ପ୍ରଭାବ ପଡିବା ସହ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।
ନାଲକୋ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଲିଖିତ ଭାବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ପାଉଁଶ ନିଷ୍କାସନ ସମସ୍ୟା ନେଇ ବନ୍ଦ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ ।
ବିଜୁ ଜନତା ଦଳର ନେତାମାନେ ନିୟମ ଭଙ୍ଗର ଦ୍ୱାହି ଦେଇ ଆନ୍ଦୋଳନ ଜାରି ରଖିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲିନସ୍ଲରୀ ପ୍ରକଳ୍ପରେ ପାଉଁଶ ନିଷ୍କାସନ ପାଇଁ ଅନୁମତି ଦେଇଥିବା ସତ୍ତ୍ୱେ ନିଜର ଜିଦି କାରଣରୁ ସେମାନେ ଏହି ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି କରିବାରେ ଲାଗି ପଡିଛନ୍ତି । ସ୍ଥାନୀୟ ବିଧାୟକ କ୍ଷତିଗ୍ରସ୍ତ ଅଞ୍ଚଳର ବାହାର ଲୋକଙ୍କୁ କାମରେ ଲଗାଇ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ଧୋକ୍କା ଦେଇଛନ୍ତି । ପୁଣି ନୂଆ ନିଯୁକ୍ତ ସୁଷ୍ଟି କରିବା ବାହାନାରେ ବ୍ୟାପକ ଅର୍ଥ କାରବାରର ଅଭିଯୋଗ ଆସିଛି ।
ନିଜକୁ କ୍ରୀତଦାସ କହୁଥିବା, ନୂଆ ନୂଆ ଗୁମାସ୍ତା ସାଜିଥିବା ପ୍ରଣବ ପ୍ରକାଶ ଦାସ ଏଥିରେ ମୁଣ୍ଡ ପୁରାଇ ଅନୁଗୋଳ ଜିଲ୍ଲାର ଶିଳ୍ପାଞ୍ଚଳକୁ ଶ୍ରୀହୀନ କରିବା ପାଇଁ ସହଯୋଗ କରୁନାହାନ୍ତି କି ? ସେ କଣ ରାଜ୍ୟର ଶକ୍ତି ମନ୍ତ୍ରୀ ନା ପରିବେଶ ମନ୍ତ୍ରୀ ? ଏହାକୁ ଅନୁଗୋଳ ଜିଲ୍ଲା, ବିଶେଷଭାବରେ ତାଳଚେରବାସୀ କେବେ କ୍ଷମା ଦେବେ ନାହିଁ । ତାଳଚେରର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରୁଛନ୍ତି, ତାଙ୍କୁ ଉଚିତ୍ ଜବାବ ଦେବେ ।