12/08/2026
*80 ତମ ସ୍ୱାଧୀନତା ଦିବସ ଅବସରରେ ଚମାର ମହିଳା ନିରୁପମା ମେହେରଙ୍କ ବାର୍ତ୍ତା* -
+++++++++++++++++++
ଆମ ରାଷ୍ଟ୍ରର ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ଦାୟାଦ ମୁଁ ନିରୁପମା ମେହେର, ଦଶପଲ୍ଲା ଚମାର ବସ୍ତିର ଜଣେ ନିରକ୍ଷର ଗୃହିଣୀ। ସମାଜର ସବୁଠାରୁ ତଳେ ଥିବା ଜଣେ ଅବହେଳିତ ଚମାର ପରିବାରରେ ମୋର ଜନ୍ମ ।
ଭେଦ ଭାବ ଘୃଣା ହିଂସା ଆକ୍ରୋଶ ଆକ୍ରମଣ ଦ୍ୱାରା ସାମାଜିକ ପ୍ରଗତି ଅସମ୍ଭବ। ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦାର ସହ ବଂଚିବା ପ୍ରତି ନାଗରିକର ମୌଳିକ ଓ ଜନ୍ମଗତ ଅଧିକାର। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ ଓ ସମସ୍ତଙ୍କର ସମ ଅଧିକାର ଅଛି ଏହା ଆମ ସମ୍ବିଧାନ କହେ।
ସ୍ୱାଧୀନତାର ଆଠ ଦଶନ୍ଧି ପାଳନ ହେଉଥିବା ବେଳେ ଏବେ ବି ଆମେ ଦଳିତ, ପତିତ, ଅବହେଳିତ ସମୂଦାୟ ସାମାଜିକ ନ୍ୟାୟରୁ ବଞ୍ଚିତ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟିକ ଭେଦଭାବ ଓ ହିଂସା ଘୃଣା ରେ ଏବେ ବି ଆମେ ଆକ୍ରାନ୍ତ ଓ ପୀଡିତ।
ଯେଉଁ ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଏ ଦେଶ ସ୍ୱାଧୀନ ହେଇଥିଲା ସେମାନଙ୍କ ଆଦର୍ଶ ଓ ବିଚାରକୁ ସ୍ମରଣ କରିବା ପରିବର୍ତ୍ତେ
ପ୍ରତିଟି କ୍ଷେତ୍ରରେ ପ୍ରତିଟି ସ୍ତରରେ ସେମାନଙ୍କ ବିଚାରକୁ ବାରମ୍ବାର ହତ୍ୟା କରାଯାଉଛି ଫଳ ସ୍ୱରୂପ ଆଜି ଆମ ଦେଶରେ ଦାରିଦ୍ର୍ୟ ଅନାହାର ଗରିଵୀ ବେକାରୀ ବେରୋଜଗାରୀ ଓ ସାମାଜିକ ଅସ୍ଥିରତା ତଥା ଆର୍ଥିକ ବିଷମତା ବିସ୍ଫୋରଣ ହେବାରେ ଲାଗିଛି। ମାନବିକ ଅଧିକାର ଉଲଂଘନ ହେଉଥିବା ବେଳେ ମାନବୀୟ ମୂଲ୍ୟବୋଧ ଧ୍ବଂସ ହେବାକୁ ବସିଲାଣି।
ଧନୀ,ପୁଞ୍ଜିପତି,ମୁଷ୍ଟିମେୟ,ଉଚ୍ଚବର୍ଗ,ଶୋଷକ ଓ ସ୍ୱାର୍ଥବାଦୀ ଗୋଷ୍ଠୀ ରାଷ୍ଟ୍ରର ସମ୍ପଦ ସମ୍ପତ୍ତି ଓ ଗାଦୀ ଦଖଲ କରି ବସିଥିବା ବେଳେ ମୋ ପରି ଜଣେ ଚମାର ଘରର ନିରକ୍ଷର ସାଧାରଣ ଗୃହିଣୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ମାଟି ମଣିଷର ସ୍ୱର ମାଟିର ସ୍ୱର ମୋତେ ଉତ୍ସାହିତ କରିଥିବାରୁ ମୁଁ ଆନନ୍ଦିତ।
ଆମ ରାଷ୍ଟ୍ର , ଆମ ରାଜ୍ୟ ଅବା ଆମ ଜିଲ୍ଲାର କୌଣସି ସ୍ଥାନରେ ଯଦି ମୋ ଭଳି କୌଣସି ଚମାର ମହିଳା ପତାକା ଉତ୍ତୋଳନ କରନ୍ତି ତେବେ ମୁଁ ନିଶ୍ଚୟ ଖୁସି ହେବି।
କାରଣ ସ୍ୱାଧୀନତା,ସମାନତା, ଏକତା, ଅଖଣ୍ଡତା ଓ ଧର୍ମ ନିରପେକ୍ଷତା ଆମ ଗଣତନ୍ତ୍ରର ମୁଳ ବୈଶିଷ୍ଟ୍ୟ। ଏହାର ମହନୀୟତା ଓ ମୂଲ୍ୟବୋଧକୁ ସୁରକ୍ଷା କରିବା ସହିତ ସବୁ ସ୍ତରରେ ଏହାକୁ ଅନୁଭବ କରିବା ଓ ପ୍ରୟୋଗ କରିବା ପାଇଁ ମାଟିର ସ୍ୱରର ଏହା ଏକ ପ୍ରତୀକାତ୍ମକ ପ୍ରୟାସ ମାତ୍ର।
ମୁଁ ସ୍ୱାଧୀନତାର ସଂଜ୍ଞା ନ ବୁଝିପାରେ କିନ୍ତୁ ମୁଁ ଚମାର କୂଳରେ ଜନ୍ମ ହେଲେ ମଧ୍ୟ ମାନବୀୟ ମର୍ଯ୍ୟାଦା କଣ ଭଲ ରକମ ଜାଣିଛି।
ନିରୁପମା ମେହେର (ଚମାର ମହିଳା) 12/08/26