26/08/2026
ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏମ୍.ଏମ୍.ଡି.ଆର୍. ସଂଶୋଧନ ଆଇନ–୨୦୨୬ ରଦ୍ଦ କର ଦାବିରେ ମିଳିତ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା
୨୯ ସେପ୍ଟେମ୍ବରରେ ବିଧାନସଭା ଘେରାଉ
ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୬:
ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬ (ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬)କୁ ରଦ୍ଦ କରିବା ଏବଂ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥ ସୁରକ୍ଷିତ ରଖିବା ଦାବିରେ ଇଣ୍ଡିଆ ବ୍ଲକ୍ର ରାଜ୍ୟବ୍ୟାପୀ ମିଳିତ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ।
ଏହି ଉଦ୍ଦେଶ୍ୟରେ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଇଣ୍ଡିଆ ବ୍ଲକ୍ର ମିଳିତ ବୈଠକରେ ଆଗାମୀ ଦିନର ବିସ୍ତୃତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ବୈଠକରେ ଓଡ଼ିଶାର ଖଣିଜ ସମ୍ପଦକୁ କେନ୍ଦ୍ରୀକୃତ ନିୟନ୍ତ୍ରଣ ଓ କର୍ପୋରେଟ୍ ସ୍ୱାର୍ଥ ଅଧୀନରେ ନେବା ଉଦ୍ୟମକୁ ଦୃଢ଼ ବିରୋଧ କରାଯାଇଥିଲା। ଏହି ଆଇନ ଓଡ଼ିଶାର ଆର୍ଥିକ ସ୍ୱାର୍ଥ, ରାଜ୍ୟର ଅଧିକାର, ଖଣି ଅଞ୍ଚଳର ଲୋକମାନଙ୍କର ଅଧିକାର ଓ ଆଦିବାସୀମାନଙ୍କର ସ୍ୱାର୍ଥ ପ୍ରତି ଗୁରୁତର ବିପଦ ସୃଷ୍ଟି କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
୨୩ ଅଗଷ୍ଟରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ, ୨୪ ଅଗଷ୍ଟରେ ଜନଜାଗରଣ ଅଭିଯାନ ଏବଂ ୨୫ ଅଗଷ୍ଟରେ ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ ସଫଳତାର ସହ ପାଳିତ ହୋଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଦଳୀୟ କର୍ମୀ, ଅନୁଗାମୀ ଓ ରାଜ୍ୟବାସୀ ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିବାରୁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ସମସ୍ତଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଯାଇଛି
ଆନ୍ଦୋଳନକୁ ଖଣି ଅଞ୍ଚଳ ଓ ସମଗ୍ର ରାଜ୍ୟରେ ଆହୁରି ଶକ୍ତିଶାଳୀ କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି— ୮ ସେପ୍ଟେମ୍ବରରେ ଭୁବନେଶ୍ୱରେ ରାଜ୍ୟସ୍ତରୀୟ କନଭେନସନ୍,
୧୩ ସେପ୍ଟେମ୍ବର କେଉଁଝର ଜିଲ୍ଲାରେ,
୧୭ ସେପ୍ଟେମ୍ବର ସୁନ୍ଦରଗଡ଼ ଜିଲ୍ଲାରେ,
୧୯ ସେପ୍ଟେମ୍ବର ଅନୁଗୁଳ ଜିଲ୍ଲାରେ
୨୧ ସେପ୍ଟେମ୍ବର ରାୟଗଡ଼ା ଜିଲ୍ଲାରେ ବିଶାଳ ଜନ ସମାଵେଶ ସଂଗଠିତ କାରାଯିବ।
୨୯ ସେପ୍ଟେମ୍ବରରେ ଭୁବନେଶ୍ୱରରେ ବିଶାଳ ଜନ ସମାବେଶ ଆୟୋଜନ କରି ବିଧାନସଭା ଘେରାଉ କରିବା ପାଇଁ ଘୋଷଣା କରାଯାଇଛି।
ରାଜ୍ୟର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ କୌଣସି ପରିସ୍ଥିତିରେ ବିଜେପି ସରକାରଙ୍କ ଦ୍ବାରା କର୍ପୋରେଟ୍ ଲୁଣ୍ଠନ ପାଇଁ ହାତରେ ଛାଡ଼ି ଦିଆଯିବ ନାହିଁ। ଓଡ଼ିଶାର ଲୋକଙ୍କର ଖଣିଜ ସମ୍ପଦ ଉପରେ ଅଧିକାର ଓ ସେଥିରୁ ମିଳୁଥିବା ରାଜସ୍ୱ ରାଜ୍ୟର ବିକାଶ ଓ ଜନକଲ୍ୟାଣରେ ବ୍ୟବହୃତ ହେବା ଦରକାର।
ଇଣ୍ଡିଆ ବ୍ଲକ୍ର ସମସ୍ତ ଦଳର କର୍ମୀ, ସମର୍ଥକ, ଖଣି ଅଞ୍ଚଳର ଶ୍ରମିକ ୟୁନିଅନ ,କୃଷକ, ଆଦିବାସୀ, ଯୁବ, ମହିଳା ଟ୍ରାନ୍ସପୋର୍ଟ ୟୁନିଅନ,ଏବଂ ସମସ୍ତ ଗଣତାନ୍ତ୍ରିକ ଓ ଜନପ୍ରତିନିଧି ଶକ୍ତିଙ୍କୁ ଏହି ଆନ୍ଦୋଳନରେ ସାମିଲ ହୋଇ ଏହାକୁ ଏକ ବ୍ୟାପକ ଜନଆନ୍ଦୋଳନରେ ପରିଣତ କରିବାକୁ ମିଳିତ ଆହ୍ୱାନ ଦିଆଯାଇଛି । ଓଡ଼ିଶା ବିରୋଧୀ ଏମ୍.ଏମ୍.ଡି.ଆର୍. ସଂଶୋଧନ ଆଇନ–୨୦୨୬ ରଦ୍ଦ କର କରିବା ଏବଂ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ସୁରକ୍ଷିତ ରଖିବା ଦାବିରେ ଆନ୍ଦୋଳନ ଚାଲିବ।
ଆଜିର ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ,ସିପିଆଇ ରାଜ୍ୟ ସମ୍ପାଦକ
ଡଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, , ସିପିଆଇ(ଏମ୍ଏଲ୍) ଲିବରେସନର ରାଜ୍ୟ ନେତା ରାଧାକାନ୍ତ ସେଠୀ, ଫରୱାର୍ଡ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ ଏବଂ ସିପିଆଇ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ,ବାମପନ୍ଥୀ ନେତା ଯମେଶ୍ୱର ସାମନ୍ତରାୟ, ବଦ୍ରୀ ନାରାୟଣ ଦାଶ, ମହେନ୍ଦ୍ର ପରିଡ଼ାଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଯୋଗଦେଇଥିଲେ।