10/05/2026
ଆଦାନୀ କମ୍ପାନୀ ନିମନ୍ତେ କୁଟ୍ରୁମାଳି ଖଣି ଖନନ ର ପରିବେଶ ମଞ୍ଜୁରୀ ପାଇଁ ପ୍ରସ୍ତାବିତ ଜନଶୁଣାଣି ( ୧୨ ମେ' ରେ ଥୁଆମୂଳ ରାମପୁର ବ୍ଲକ ଏବଂ ୧୩ ମେ' କାଶୀପୁର ବ୍ଲକ କାର୍ଯ୍ୟାଳୟ) କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି, ଯାହା ଆଜି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞାପନ ଭାବରେ ପ୍ରକାଶିତ ହୋଇଛି।
ସିଜିମାଳି ଅଞ୍ଚଳରେ ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ପୋଲିସ୍ ଦମନଲୀଳା ଚାଲିଥିବା ବେଳେ, ଲୋକଙ୍କ ନାମରେ ମିଥ୍ୟା ମକଦ୍ଦମା ଓ ଗିରଫଦାରୀ ଯୋଗୁଁ ଲୋକମାନେ ଜେଲରେ ଥିବା ସମୟରେ ଆଦାନୀ କମ୍ପାନୀ ସ୍ୱାର୍ଥରେ କୁଟ୍ରୁମାଳି ଖଣି ଖନନ ପାଇଁ ଜନଶୁଣାଣି ଆୟୋଜନ କଟା ଘାରେ ଚୂନ ଦେବା ସଦୃଶ ଥିଲା। ଏହି ଜନଶୁଣାଣି କୁ ବାତିଲ୍ କରିବା ପାଇଁ ବିଭିନ୍ନ ସ୍ତରରୁ ପ୍ରତିବାଦ ହୋଇଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କ ନିକଟରେ ତିନୋଟି ପିଟିସନ୍ ଦାଖଲ କରାଯାଇଥିଲା। ଏହି ଖଣି ଖନନ ନିମନ୍ତେ ପ୍ରସ୍ତାବିତ ଜନଶୁଣାଣି କୁ ବିରୋଧ କରି ମା ମାଟି ମାଳି ସୁରକ୍ଷା ମଞ୍ଚ ନେତୃତ୍ୱରେ ପ୍ରଭାବିତ ଗାଁ ଗୁଡ଼ିକରେ ପଦଯାତ୍ରା ମଧ୍ୟ ଚାଲିଛି।
କିନ୍ତୁ ମନେ ରଖିବାକୁ ହେବ, ଏହି ଜନଶୁଣାଣିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି, ବାତିଲ୍ କରାଯାଇନାହିଁ, କିମ୍ବା ଆଦାନୀ କମ୍ପାନୀ କୁ ଦିଆଯାଇଥିବା କୁଟ୍ରୁମାଳି ଖଣି ଲିଜ ବାତିଲ କରାଯାଇନାହିଁ। ତେଣୁ ଜନଶୁଣାଣି ସ୍ଥଗିତ ଆଦେଶରେ ଆମେ ଅତ୍ୟଧିକ ଉତ୍ସାହିତ ନ ହୋଇ ବେଦାନ୍ତ ଓ ଆଦାନୀ କମ୍ପାନୀ କୁ ଖଣି ଲିଜ ବାତିଲ ଏବଂ ଜଳ ଜମି ଜଙ୍ଗଲ ତଥା ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଆମ ଲଢ଼େଇ ତଥା ଜନ ଆନ୍ଦୋଳନକୁ ବ୍ୟାପକ ଓ ଜୋରଦାର୍ କରିବାକୁ ପଡିବ।।